ଆଶା ହରାନ୍ତୁ ନାହିଁ, ଶିଖନ୍ତୁ, ଆପଣ ସୀମାହୀନ ସଫଳତା ହାସଲ କରିପାରିବେ – ଭିନ୍ନକ୍ଷମମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା
(ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ଭିନ୍ନକ୍ଷମଙ୍କ ପ୍ରତିଭାର ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ)
ଆଶା ହରାନ୍ତୁ ନାହିଁ, ଶିଖନ୍ତୁ, ଆପଣ ସୀମାହୀନ ସଫଳତା ହାସଲ କରିପାରିବେ – ଭିନ୍ନକ୍ଷମମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା
ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି ।
ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖରୁ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ । ସମାଜର ସହଯୋଗ ଓ ପରିବାରର ପ୍ରେରଣା ଦ୍ୱାରା ଆଜି ଅନେକ ଭିନ୍ନକ୍ଷମ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି ।
ସେ କହିଥିଲେ ଯେ, ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ନେବା ପରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସବୁ ବ୍ୟାପକ କରାଯାଇଛି । ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୭ ଲକ୍ଷ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଉପକରଣ ପ୍ରଦାନ କରିଥିବା ବେଳେ, ୨୦୧୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍, ୧୧ ବର୍ଷ ମଧ୍ୟରେ ୩୧ ଲକ୍ଷ କୃତ୍ରିମ ଭିନ୍ନକ୍ଷମ ଉପକରଣ ପ୍ରଦାନ କରାଗଲାଣି । ୨୦୧୫ ମସିହାରେ ମୋଦୀଜୀ ଭିନ୍ନକ୍ଷମଙ୍କ ପାଇଁ ଦିବ୍ୟାଙ୍ଗ ଶବ୍ଦ ଆରମ୍ଭ କରିଥିଲେ ।
ସେ ଆହୁରି କହିଥିଲେ, ଆମ ସରକାର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱୟଂସିଦ୍ଧ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।
ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ, ଆମ ରାଜ୍ୟରେ ଅନେକ ଭିନ୍ନକ୍ଷମ ଯୁବକଯୁବତୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇ ଦକ୍ଷତାର ସହ କାମ କରୁଛନ୍ତି । ଭିନ୍ନକ୍ଷମମାନଙ୍କ ପାଖରେ ଭରପୂର ପ୍ରତିଭା ରହିଛି । ସେଗୁଡ଼ିକ ନିଯୁକ୍ତି ମାଧ୍ୟମରେ ପ୍ରସ୍ପୁଟିତ ହେବା ଆବଶ୍ୟକ ।
ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭିନ୍ନକ୍ଷମମାନେ କାହାର ଦୟା କିମ୍ୱା ସମବେଦନା ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ସମ୍ମାନର ସହିତ ଜୀବନ ନିର୍ବାହ କରିବାର ଅଧିକାର ଏବଂ ସେ ଅଧିକାର ପ୍ରଦାନ କରିବା ହେଉଛି ଆମର ଦାୟିତ୍ୱ । ଭିନ୍ନକ୍ଷମମାନଙ୍କୁ ସେ ଉତ୍ସାହିତ କରି କହିଥିଲେ, ଆପଣମାନଙ୍କ ସ୍ୱପ୍ନ ଓ ଆଶା ଆକାଂକ୍ଷା ଆମ ବିକାଶର କେନ୍ଦ୍ରବିନ୍ଦୁ । କେବେ ବି ଆଶା ହରାନ୍ତୁ ନାହିଁ, ଶିଖନ୍ତୁ। ଆପଣଙ୍କ ସଫଳତାର କୌଣସି ସୀମା ନାହିଁ । ଯଦି ଆପଣଙ୍କ ପାଇଁ କିଏ ସୀମାରେଖା ଟାଣେ, ତେବେ ତାକୁ ଚ୍ୟାଲେଞ୍ଜ କରନ୍ତୁ । ଆପଣ ନିଶ୍ଚୟ ସୀମାହୀନ ସଫଳତା ହାସଲ କରିପାରିବେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ T20 ଦୃଷ୍ଟିବାଧିତ ମହିଳା ବିଶ୍ୱକପ କ୍ରିକେଟର ୪ ଜଣ ଖେଳାଳୀଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ସମୁଦାୟ ୩୩ ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । କୃତୀ ବିଦ୍ୟାର୍ଥୀମାନଙ୍କୁ ଲାପଟପ୍ ବଣ୍ଟନର ଶୁଭାରମ୍ଭ କରିଥିଲେ ।
କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ଏହି ତିନିଦିନିଆ ଉତ୍ସବରେ ଆମର ଭିନ୍ନକ୍ଷମ ଭାଇ ଭଉଣୀମାନେ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଉତ୍ସାହର ସହ ପ୍ରଦର୍ଶିତ କରିଛନ୍ତି । ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ସମସ୍ତ ସହଯୋଗ ଓ ସେବା ପ୍ରଦାନ ଜରିଆରେ ସମାଜରେ ସମ୍ମାନଜନକ ସ୍ଥାନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କ ପାଇଁ ବର୍ଦ୍ଧିତ ହାରରେ ଭତ୍ତା ବ୍ୟବସ୍ଥା, ଅନ୍ତୋଦ୍ୟୟ ଗୃହ ଯୋଜନାରେ ବାସଗୃହ, ଛାତ୍ରବୃତ୍ତି ଆଦିର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଶିକ୍ଷାପ୍ରଦାନ କ୍ଷେତ୍ରରେ ଆହୁରି ଅଧିକ ସ୍ୱତନ୍ତ୍ର ଶିକ୍ଷକ ନିୟୋଜନ କରାଯିବ । ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରି କହିଥିଲେ, ଆପଣମାନଙ୍କ ଲକ୍ଷ୍ୟ ଯଦି ଠିକ୍ ରହେ, ତେବେ ନିଶ୍ଚିତ ରୂପେ ଲକ୍ଷ୍ୟ ପଥରେ ପହଞ୍ଚିବେ । ତେଣୁ, ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ଲକ୍ଷ୍ୟପଥରେ ଅଗ୍ରସର ହୁଅନ୍ତୁ ।
କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ.ଆର୍. ଏସ୍. ଗୋପାଳନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱତନ୍ତ୍ର ସଚିବ ରଜନୀ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟୱାରୀ ଉପସ୍ଥିତ ଥିଲେ ।
Editor