କିଟ୍‍ ରେ ଅନ୍ତର୍ଜାତୀୟ ସେବିକା ଦିବସ, ନର୍ସମାନେ ଦୟା, ଯତ୍ନଶୀଳ ଓ ସେବା ମନୋବୃତ୍ତି ଆପଣାନ୍ତୁ

କିଟ୍‍ ରେ ଅନ୍ତର୍ଜାତୀୟ ସେବିକା ଦିବସ, ନର୍ସମାନେ ଦୟା, ଯତ୍ନଶୀଳ ଓ ସେବା ମନୋବୃତ୍ତି ଆପଣାନ୍ତୁ

ଭୁବନେଶ୍ୱର, ୧୨ । ୫: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ନର୍ସଂ ସାଇନ୍‍ସେସ୍‍ (କିନ୍‍ସ) ପକ୍ଷରୁ ଆଜି ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିନ୍‍ସର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ତଥା କାର୍ଯ୍ୟରତ ନର୍ସମାନଙ୍କୁ ସମ୍ବୋଧିତ କରି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ନର୍ସମାନେ ହେଉଛନ୍ତି ସେବାର ପ୍ରତୀକ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଣେ ରୋଗୀ ସୁସ୍ଥ ହେବାରେ ଡାକ୍ତରଙ୍କଠାରୁ ନର୍ସମାନଙ୍କର ଅଧିକ ଭୂମିକା ରହିଛି। ସେମାନଙ୍କ ସେବା ଓ ଯତ୍ନର ସ୍ପର୍ଶରେ ଜଣେ ରୋଗୀ ସୁସ୍ଥ ହୋଇପାରେ। ତେଣୁ ନର୍ସମାନେ ସର୍ବଦା ରୋଗୀଙ୍କ ପ୍ରତି ଦୟା ଓ ସମ୍ବେଦନଶୀଳ ମନୋଭାବ ପୋଷଣ କରିବା ସହ ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ଆବଶ୍ୟକ। ନର୍ସମାନେ ସେବା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରନ୍ତୁ ବୋଲି ଶ୍ରୀ ସାମନ୍ତ ପରାମର୍ଶ ଦେଇଥିଲେ। ନର୍ସିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ ଛାତ୍ରଛାତ୍ରୀଙ୍କ ସେବା ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରତିପାଦିତ କରୁଛି। କିମ୍‍ସରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ସେବା କରିବାର ବ୍ୟାପକ ସୁଯୋଗ ରହିଥିବାରୁ କିନ୍‍ସ ଛାତ୍ରଛାତ୍ରୀମାନେ ଏହାର ସଦୁପଯୋଗ କରି ନର୍ସିଂ ପେଶାରେ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ କହିଥିଲେ। କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଚଳିତବର୍ଷ ଅନ୍ତର୍ଜାତୀୟ ସେବିକା ଦିବସର ବିଷୟବସ୍ତୁ ‘ଆୱାର ନର୍ସେସ୍‍ ଆୱାର୍‍ ଫିଉଚର- କେୟାରିଂ ଫର୍‍ ନର୍ସେସ୍‍ ଷ୍ଟ୍ରେନଦେନ୍‍ସ ଇକୋନମିଜ୍‍’ ଉପରେ ଗୁରୁତ୍ୱଦେଇ କହିଲେ, ନର୍ସମାନେ ଠିକ୍‍ ସେବା ଯୋଗାଇ ଦେଲେ ଏହା ଉଭୟ ରୋଗୀ ଓ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ଅନୁଷ୍ଠାନର ଅର୍ଥନୀତି ସୁଦୃଢ଼ କରିପାରିବ। ତେଣୁ ନର୍ସମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସର୍ବଦା ଠିକ୍‍ ରହିବା ଉଚିତ ବୋଲି ସେ କହିଥିଲେ। ନର୍ସମାନେ ହେଉଛନ୍ତି ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ସେତୁବନ୍ଧ ବୋଲି କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ଡା. ସିବିକେ ମହାନ୍ତି କହିଥିଲେ। ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଥିବା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ନର୍ସଙ୍କ ସଂଖ୍ୟା ଅଧିକ। ନର୍ସଙ୍କ ବିନା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଅସମ୍ଭବ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିମ୍‍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ଆର ସି ଦାସ, କିମ୍‍ସ ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ମାନସ ରଞ୍ଜନ ବେହେରା, ସ୍କୁଲ୍‍ ଅଫ୍‍ ନର୍ସିଂ, ଆଲାଏଡ୍‍ ସାଇନସେସ୍‍, ଫାର୍ମାସୀ ଓ ଫିଜିଓଥେରାପି ସ୍କୁଲ୍‍ର ନିର୍ଦ୍ଦେଶକ ବ୍ରିଗେଡ଼ିୟର ଡା. ଅମ୍ବିକା ପ୍ରସାଦ ମହାନ୍ତି, କିଟ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କିନ୍‍ସ ଅଧ୍ୟକ୍ଷା ପ୍ରଫେସର ଡ. ନିୟତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିମ୍‍ସ ନର୍ସିଂ ଅଧୀକ୍ଷକ ଗୀତାଞ୍ଜଳି ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିନ୍‍ସର ବାର୍ଷିକ ସ୍ମରଣିକା ‘କାରା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।