ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଭାବେ ପ୍ରୟୋଗ ହେବା ଆବଶ୍ୟକ

ଭୁବନେଶ୍ବର । ଯଦିଓ ଭାରତୀୟ ସଂସଦ ବ୍ରିଟିଶ ସମୟର ଫୌଜଦାରୀ ଆଇନ ଗୁଡିକ ପରିବର୍ତ୍ତନ କରିଛନ୍ତି, ଏହାସତ୍ତ୍ୱେ ଗରିବ ଓ ସାଧାରଣ ବର୍ଗ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ମଧ୍ୟରେ ସମାନ ନ୍ୟାୟ ପାଇପାରିନାହାନ୍ତି । ଫଳସ୍ବରୂପ ନ୍ୟାୟ ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବା ଆଇନର ଉଲ୍ଲଘଂନ ହେଉଛି ବୋଲି ଆଇନ ସେବା ସଂସ୍ଥା କ୍ଲାପ ପକ୍ଷରୁ ଏକ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।
ବର୍ତମାନ ପ୍ରଚଳିତ ଫୌଜଦାରୀ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରୀକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧ୍ବନିୟମ ପ୍ରଚଳନ ହେବାର ଏକ ବର୍ଷ ପୂର୍ତି ଅବସରରେ କ୍ଲାପ ପକ୍ଷରୁ ଆୟୋଜିତ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସମସ୍ତଙ୍କୁ ସମାନ ନ୍ୟାୟ କାର୍ଯ୍ୟକ୍ରମରେ ଗରିବ ଓ ସାଧାରଣ ବ୍ୟକ୍ତି ଯେପରି ତାଙ୍କ ସ୍ବାଧୀନତା ତଥା ସ୍ୱତନ୍ତ୍ରତାରୁ ବଂଚିତ ନହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଓଡିଶା ହାଇ କୋର୍ଟର ପୂର୍ବତ୍ତନ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ରୂପେ ଯୋଗ ଦେଇ କହିଛନ୍ତି।
କ୍ଲାପର ସଭାପତି ଡ଼. ବିକାଶ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ପୂର୍ବତ୍ତନ ଭାରତୀୟ ପୋଲିସ ସେବା ତଥା ପୋଲିସ ମହା ନିର୍ଦେଶକ ସତ୍ୟଜିତ ମହାନ୍ତି କହିଥିଲେ ଯେ ପୋଲିସ ଏବଂ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା ଯଥା ପବ୍ଲିକ ପ୍ରସିକୁଟର ଓ ବିଚାରପତିମାନଙ୍କର ଦକ୍ଷତା ବୃଦ୍ଧି ହେଲେ ସମସ୍ତଙ୍କୁ ସମାନ ନ୍ୟାୟ ମିଳିପାରିବ ।
କ୍ଲାପର ଆଇନସେବା କାର୍ଯ୍ୟକ୍ରମ ଆଧାରରେ ନିଜର ଅଭିଜ୍ଞତା କୁ ବର୍ଣନା କରି ଡ଼. ବିକାଶ ଦାସ କହିଥିଲେ ଯେ ବିଭିନ୍ନ କାରାଗାରରେ ରହିଥିବା ବନ୍ଦୀମାନେ ମୁଖ୍ୟତଃ ନିଷ୍ପେସିତ ବର୍ଗର ଅଟନ୍ତି । ଯଦିଓ ସେମାନେ ବେଲ ପାଇବା ପାଇଁ ଯୋଗ୍ୟ, ସେମାନଙ୍କୁ ଉଚିତ ଆଇନସେବା ନମିଳୁଥିବାରୁ ସେମାନେ ବନ୍ଦୀଭାବେ ଜୀବନ ଯାପନ କରୁଛନ୍ତି । ଅଧିକାଂଶ ବନ୍ଦୀ ତାଙ୍କର ଥୁବା ମାମଲା ବିଷୟରେ ଅବଗତ ନୁହନ୍ତି । ଏମାନଙ୍କ ଉପରେ କୋର୍ଟ ଯେଉଁ ନିର୍ଦେଶ ଦେଉଛନ୍ତି, ତାହାର ସାର୍ଟିଫାଏଡ଼ କପି କିପରି ମିଳିବ ସେ ସମ୍ପର୍କରେ ମଧ୍ଯ ଅଧିକାଂଶଙ୍କର ଧାରଣା ନାହିଁ । ସମାନ ନ୍ୟାୟ ପାଇଁ ବ୍ୟବସ୍ଥା ନକଲେ ମାନବିକ ଅଧିକାର ଉଲ୍ଲଘଂନ ହେବ ।
ରାଜ୍ୟ ବାର କାଉନସିଲର ପୂର୍ବତ୍ତନ ଅଧ୍ୟକ୍ଷ ମାନସ ରଞ୍ଜନ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କୁଶଳୀ ଆଇନଜୀବୀମାନେ ସାଧାରଣ ବ୍ୟକ୍ତିଙ୍କୁ ନ୍ୟାୟ ଦେବା ପାଇଁ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଥିଲେ । ବିର୍ଲା ଲ ସ୍କୁଲର ଡିନ ପ୍ରଫେସର ସୁକାନ୍ତ କୁମାର ନନ୍ଦ ନୂତନ ଫୌଜଦାରୀ ଆଇନରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ ।